ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ଅର୍ଥ ଆଣୁଥିଲା ପିଏଫଆଇ : ଇଡି
24-12-2023
ନୂଆଦିଲ୍ଲୀ: ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ୫ ଜଣଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ସେମାନେ ହେଲେ ଇଏମ୍ ଅବଦୁଲ ରେହମାନ, ଅନିସ ଅହମ୍ମଦ, ଅଫସର ପାଶା, ଏଏସ୍ ଇସମାଇଲ ଓ ମହମ୍ମଦ ସକିଫ୍ । ଏହି ସମସ୍ତ ଅଭିଯୁକ୍ତ ପିଏଫଆଇରେ ବିଭିନ୍ନ ପଦବୀରେ ଥିଲେ, ଯେଉଁମାନେ ବିଦେଶରୁ ହୱାଲା ଜରିଆରେ ମିଳିଥିବା କୋଟି କୋଟି ଟଙ୍କାକୁ ଦେଶ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଥିଲେ । ଇଡିର ସୂଚନା ଅନୁଯାୟୀ, ଇସମାଇଲ ପିଏଫଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲା ଓ ସଂଗଠନର ଅଧିକାଂଶ ଗୁରୁତୂପୂର୍ଣ୍ଣ ନିଷ୍ପତ୍ତି ପଛରେ ତାହାର ସଂପୃକ୍ତି ଥିଲା । ସେହିପରି ମହମ୍ମଦ ସକିଫ୍ ସଂଗଠନର କର୍ଣ୍ଣାଟକ ୟୁନିଟ୍ ର ସଭାପତି ଥିଲା । ଅନିସ ଅହମ୍ମଦ ୨୦୨୦ ପର୍ଯ୍ୟନ୍ତ ପିଏଫଆଇର ରାଷ୍ଟ୍ରୀୟ ସମ୍ପାଦକ ଥିଲା ଓ ଇଏମ ପାଶା ନିଷିଦ୍ଧ ହେବା ବେଳକୁ ସଂଗଠନର ରାଷ୍ଟ୍ରୀୟ ଉପସଭାପତି ଥିଲା ।୨୦୧୮ ମେ ୨ତାରିଖରେ ପଞ୍ଜୀକୃତ ହୋଇଥିବା ଇସିଆଇଆର ( ଏନଫୋର୍ସମେଣ୍ଟ କେସ ଇନଫର୍ମେସନ ରିପୋର୍ଟ)ରେ ଗିରଫ ହୋଇଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଇଡି ଗତ ଡିସେମ୍ବର ୧୯ତାରିଖରେ ଦିଲ୍ଲୀର ତିହାର ଜେଲରେ ପଚରାଉଚରା କରିଥିଲା । ସମସ୍ତ ଅଭିଯୁକ୍ତ ବିଭିନ୍ନ ସହରରେ ଥିବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରେ ଦସ୍ତଖତ କରିଥିଲେ । ସମସ୍ତଙ୍କୁ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଠକେଇ ସମ୍ପର୍କରେ ପଚରାଉଚରା କରାଯାଇଥିଲେ ହେଁ ସନ୍ତୋଷଜନକ ଉତ୍ତର ନ ଦେବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା ।
ଜମ୍ମୁ-କାଶ୍ମୀର କୋକେରନାଗ ସଂଘର୍ଷ ମାମଲାକୁ ନିଜ ହାତକୁ ନେଲା ଏନଆଇଏ
ନୂଆଦିଲ୍ଲୀ, ୨୧/୧୨-23 : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଳିତ ବର୍ଷ ସେପ୍ଟେମ୍ବରରେ ଘଟିଯାଇଥିବା ଜମ୍ମୁକାଶ୍ମୀର କୋକେରନାଗ ସଂଘର୍ଷ ମାମଲାକୁ ଏବେ ନିଜ ହାତକୁ ନେଇଛି । ଏହି ସଂଘର୍ଷରେ ଭାରତୀୟ ସେନାର ଜଣେ କର୍ଣ୍ଣଲ, ଜଣେ ମେଜର୍, ଜଣେ ସୈନିକ ଏବଂ ଜମ୍ମୁକାଶ୍ମୀର ପୋଲିସର ଜଣେ ଡିଏସପି ସହିଦ ହୋଇଥିଲେ । ସୁରକ୍ଷାବଳର ଏହି ଅପରେସନରେ ଲସ୍କର-ଏତୈୟବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଉଜୈର ଖାନ ଓ ତାର ସହଯୋଗୀ ନିହତ ହୋଇଥିଲେ । କୋକେରନାଗ ସଂଘର୍ଷ ବାବଦରେ ଜମ୍ମୁ-କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂହ କହିଥିଲେ ଯେ, ଏହି ସଂଘର୍ଷକୁ ରୂପ ଦେବାରେ କିଛି ନ୍ୟସ୍ତ ସ୍ୱାର୍ଥୀ ତତ୍ୱ ସାମିଲ୍ ଥିଲେ । ଭାରତୀୟ ସେନା ସେପ୍ଟେମ୍ବର ୧୩ ତାରିଖରେ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ କୋକେରନାଗର ଗଡୋଲେ ଜଙ୍ଗଲରେ ୧୯ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର)ର କମାଣ୍ଡିଂ ଅଫିସର କର୍ଣ୍ଣଲ ମନପ୍ରିତ ସିଂହ, କମ୍ପାନୀ କମାଣ୍ଡର ମେଜର ଆଶିଷ ଧୋଂଚକ, ଜମ୍ମୁ-କାଶ୍ମୀର ପୋଲିସର ଉପାଧ୍ୟକ୍ଷ ହୁମାୟୁଂ ଭଟ୍ଟ ଏବଂ ଯବାନ ପ୍ରଦୀପ ସିଂହ ସହିଦ୍ ହୋଇଥିଲେ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଏନଆଇଏ ଏହି ମାମଲା ନିଜ ହାତକୁ ନେବା ସହିତ ଏକ ନୂଆ ମାମଲା ଦାୟର୍ କରିଛି । ଏଥି ସହିତ ନିଜ କ୍ଷେତ୍ରୀୟ ଶାଖା କାର୍ଯ୍ୟାଳୟରେ ପ୍ରତିନିଯୁକ୍ତି ପୋଲିସ ଅଧିକ୍ଷକ ର୍ୟାଂକ ର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଏହାର ତଦନ୍ତ ଆରମ୍ଭ କରିଛି ।
ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କଲା ଏନଆଇଏ
୪୧ଟି ସ୍ଥାନରେ ଚଢ଼ାଉ : ୧୫ ଗିରଫ
ନୂଆଦିଲ୍ଲୀ, ୯ା୧୨: ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ ସେମାନେ ଇସ୍ଲାମିକ୍ ଷ୍ଟେଟ୍ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । କର୍ଣ୍ଣାଟକର କେତେକ ସ୍ଥାନରେ ଏନଆଇଏର ଚଢ଼ାଉ ଚାଲିଥିବା ବେଳେ ମହାରାଷ୍ଟ୍ରରେ ପୁଣେ, ଥାନେ ଗ୍ରାମୀଣ, ଥାନେ ସହର ଏବଂ ମୀରା ଭାୟନ୍ଦରରେ ଚଢ଼ାଉ ଜାରି ରହିଛି । ଜାତୀୟ ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଅନ୍ତର୍ଜାତୀୟ ସଂପୃକ୍ତି ଏବଂ ବିଦେଶୀ ଆଇଏସ୍ ଆଇଏସ୍ ହେଣ୍ଡଲରଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଭାରତ ଭିତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଉଗ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ବ୍ୟକ୍ତିମାନଙ୍କର ଏକ ଜଟିଳ ନେଟୱାର୍କକୁ ତଦନ୍ତ କାଳରେ ପଦାକୁ ଆଣିବାରେ ଏନଆଇଏ ସଫଳ ହୋଇଛି । ଏହି ନେଟୱାର୍କ ଆଇଏସଆଇଏସର ସ୍ୱୟଂଘୋଷିତ ଖଲିଫା (ନେତା)ଙ୍କ ପ୍ରତି ଆନୁଗତ୍ୟର ଶପଥ ନେଇଥିଲା ଏବଂ ଅତ୍ୟାଧୁନିକ ‘ଇମ୍ପ୍ରୋଭାଇଜଡ୍’ ବିସ୍ଫୋରକ ଉପକରଣ (ଆଇଇଡି) ନିର୍ମାଣରେ ସମ୍ପୃକ୍ତ ଥିବା ଜଣାପଡିଥିଲା । ଏହି ନେଟୱାର୍କ ଭାରତ ମାଟିରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ବୋଲି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କହିଛି ।
Comments
Post a Comment